ଶନିବାର ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆକ୍ଟ ୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କେନ୍ଦ୍ରୀୟ ସଂସ୍ଥା କହିଛି । ତଦନ୍ତକାରୀ ସଂସ୍ଥା କହିଛି, ଚାଇନିଜ୍ ସ୍ମାର୍ଟଫୋନ କମ୍ପାନୀର ବ୍ୟାଙ୍କ ଖାତାରେ ଥିବା ଏହି ରାଶିକୁ ସିଜ୍ କରାଯାଇଛି।
ସମ୍ୱାଦ ସରବରାହ ସଂସ୍ଥା ରୟଟର୍ସ ଅନୁସାରେ, ଚଳିତ ମାସ ଆରମ୍ଭରେ ସାଓମୀର ପୂର୍ବତନ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିଥିଲା। ଭାରତର ବିଦେଶୀ ମୁଦ୍ରା ଆଇନ ଅନୁରୂପରେ କମ୍ପାନୀ ବ୍ୟବସାୟ କରୁଛି କି ନାହିଁ ତାହା ଜାଣିବା ଅଧିକାରୀଙ୍କୁ ଜେରା କରାଯାଇଥିଲା। ଏଜେନ୍ସି ଭାରତରେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ମନୁ କୁମାର ଜୈନଙ୍କୁ ହାଜର ହେବା ପାଇଁ କହିଥିଲା। ତେବେ ଏହା ଉପରେ ମନୁ ଜୈନ ଏବଂ ତଦନ୍ତକାରୀ ସଂସ୍ଥା କୌଣସି ଟିପ୍ପଣୀ କରିନଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ଦୁଇ ମାସରୁ ଅଧିକ ସମୟ ଧରି କମ୍ପାନୀର ବ୍ୟବସାୟକୁ ନେଇ ଯାଞ୍ଚ କରୁଛି।
ଅନ୍ୟପଟେ ରୟଟର୍ସକୁ ପ୍ରତିକ୍ରିୟା ଦେଇ ସାଓମୀ କହିଛି, କମ୍ପାନୀ ଭାରତର ସବୁ ନିୟମକୁ ପାଳନ କରୁଛି । ଅଧିକାରୀଙ୍କ ତଦନ୍ତରେ କମ୍ପାନୀ ସମ୍ପୂର୍ଣ୍ଣ ସହଯୋଗ କରୁଛି । ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକୀୟ ସମସ୍ତ ସୂଚନା ପ୍ରଦାନ କରିବାରେ କମ୍ପାନୀ ସହଯୋଗ କରୁଛି।
ସୂତ୍ର ଅନୁସାରେ ସାଓମୀ ଇଣ୍ଡିଆ ଏବଂ ଚୀନରେ ଥିବା ଏହାର ମୂଳ କମ୍ପାନୀ ମଧ୍ୟରେ ରୟାଲଟି ପୈଠ ସହ ଆର୍ଥିକ ହେରଫେର ନେଇ ତଦନ୍ତ କରୁଛି । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସ୍ମାର୍ଟଫୋନ ବଜାରରେ ସାଓମୀର ୨୪ ପ୍ରତିଶତ କବଜା ରହିଛି। ଏହାସହ ୨୦୨୧ରେ ଭାରତରେ ସାଓମୀ ଫୋନ ସବୁଠୁ ଅଧିକ ବିକ୍ରି ହୋଇଥିଲା।