ଜୈସଲମେର୍ : ଶନିବାର ରାଜସ୍ଥାନ ପୁଲିସ ଗୁପ୍ତଚର ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଛି । ଯୁବକଙ୍କୁ ଜୈସଲମେର୍ରେ ଥିବା ଆର୍ମି କ୍ୟାମ୍ପ ପାଖରେ ବୁଲୁଥିବା ଦେଖି ପୁଲିସ ସନ୍ଦେହରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଟକ ରଖାଯାଇଥିବା ଅଭିଯୁକ୍ତ କାଦର ଖାନ୍ ବୋଲି ଚିହ୍ନଟ କରାଯାଇଛି । ପଚରାଉଚରା ପରେ ଅଭିଯୁକ୍ତ ୨୦୧୮ରେ ପାକିସ୍ତାନ ଯାଇଥିବା ନେଇ ସ୍ୱିକାର କରିଥିବା କହିଛି ପୁଲିସ । ଏହି ଘଟଣା ବିଷୟରେ ଅଧିକ ସୂଚନା ଦେବାକୁ ଯାଇ ରାମଗଡ଼ ପୁଲିସ ଷ୍ଟେସନର ଏସ୍ଏଚ୍ଓ କେଏସ୍ ଧିଲନ କହିଛନ୍ତି, ଆର୍ମି କ୍ୟାମ୍ପ ପାଖରେ ବୁଲୁଥିବା ଦେଖି ଗୁପ୍ତଚର ସନ୍ଦେହରେ କାଦର ଖାନ୍ଙ୍କୁ ପୁଲିସ ଷ୍ଟେସନ ଅଣା ଯାଇଛି । ଏବେ ପଚରାଉଚରା ଜାରି ରଖା ଯାଇଥିବା ବେଳେ ୨୦୧୮ରେ ସେ ପାକିସ୍ତାନ ଯାଇଥିବା ନେଇ ସ୍ୱିକାର କରିଛନ୍ତି । ଅଧିକ ସୂଚନା ପାଇଁ ଏବେ ବି ପଚରାଉଚରା ଜାରି ରହିଛି ବୋଲି ସେ କହିଛନ୍ତି । ଗତ ସୋମବାର ମଧ୍ୟ ବିଏସ୍ଏଫ୍ ପାଟ୍ରୋଲ ଟିମ୍ର ଭିଡିଓ ଏବଂ ଫଟୋ ଉତ୍ତୋଳନ କରୁଥିବାରୁ ରାଜ୍ୟ ପୁଲିସ ୩ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ଫୋନକୁ ଜବତ କରିଥିଲା ।