ପୁରୀ : କରୋନା ସଂକ୍ରମଣ ସଙ୍କଟ ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିଥିବାରୁ ସେବାୟତମାନଙ୍କ ଜୀବିକା ପ୍ରଭାବିତ ହୋଇଛି । ତେଣୁ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପୂର୍ବରୁ ୨ଟି କିସ୍ତିରେ ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।
ଶନିବାର ପରିଚାଳନା କମିଟିର କେତେକ ସଦସ୍ୟ ଓ କିଛି ବରିଷ୍ଠ ସେବାୟତଙ୍କ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ପ୍ରକାଶ କରିଥିଲେ ଯେ ମୁଖ୍ୟତଃ ସେବାୟତମାନଙ୍କୁ ସହାୟତା ପ୍ରଦାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ୨୦୧୪-୧୫ ମସିହାରେ ରାଜ୍ୟ ସରକାରଙ୍କ ଯୋଜନା ଓ ଉନ୍ନୟନ ବିଭାଗ ଅଧୀନସ୍ଥ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ୍ ଷ୍ଟଡିଜ୍ ପକ୍ଷରୁ ଶ୍ରୀମନ୍ଦିର ସେବାୟତମାନଙ୍କ ସାମାଜିକ- ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ଭିତ୍ତିରେ ସେବାୟତମାନଙ୍କ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ । ସେ କହିଥିଲେ କରୋନା ସଂକ୍ରମଣ ଯୋଗୁଁ ଏବେ ପାଳିଆ ପୁରସ୍କାରକୁ ୨ଗୁଣ କରାଯାଇଛି । ଏହି ବ୍ୟବସ୍ଥା ପରିସ୍ଥିତି ନ ବଦଳିବା ପର୍ଯ୍ୟନ୍ତ ଜାରି
ରହିବ । ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ସେବାୟତମାନଙ୍କୁ ଜମି ଦିଆଯିବ । ପ୍ରାୟ ୨୦୦ରୁ ୨୫୦ ଜଣ ସେବାୟତଙ୍କ ପାଇଁ ଏହି ସହାୟତା ବ୍ୟବସ୍ଥା କରାଯାଉଛି । ଚଳିତମାସ ଶେଷ ସୁଦ୍ଧା ଏହାର ପଦ୍ଧତି ସ୍ଥିରୀକୃତ ହେବ । ସେବାୟତମାନଙ୍କ ପାଇଁ ରହିଥିବା ଡିସ୍ପେନସରିକୁ ଆବଶ୍ୟକୀୟ ପରିମାଣର ଔଷଧ ଯୋଗାଇ ଦିଆଯିବ ।
ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ପ୍ରଶାସକ କହିଥିଲେ ଯେ ଗର୍ଭଗୃହର ପ୍ରତି ପଥରର ଡକ୍ୟୁମେଣ୍ଟେସନ୍ କରାଯିବ । ଫଳରେ ପରବର୍ତ୍ତୀ ସମୟରେ କୌଣସି ଅଭିଯୋଗ ଆସିଲେ ପୂର୍ବ ଓ ସେ ସମୟର ସ୍ଥିତି ମଧ୍ୟରେ ତୁଳନା କରାଯାଇପାରିବ । ଏହି ଡକ୍ୟୁମେଣ୍ଟେସନ୍ କେବେ କରାଯିବ ଓ କିପରି କରାଯିବ ସେ ବିଷୟରେ ଛତିଶା ନିଯୋଗ ଏବଂ ଅନ୍ୟ ସେବକଙ୍କ ସହ ଆଲୋଚନା କରାଯିବ । ଗର୍ଭଗୃହ ଯାଞ୍ଚ ସମୟରେ ଟେକ୍ନିକାଲ୍ କମିଟି ସହ ସେବାୟତମାନଙ୍କର ଏକ ଟିମ ମଧ୍ୟ ରହିବ । ଫଳରେ ସମସ୍ତେ ଏଏସ୍ଆଇ ଦ୍ୱାରା କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ଜାଣିପାରିବେ ବୋଲି କ୍ରିଷନ କୁମାର କହିଥିଲେ ।