ଟିମ୍ ଇଣ୍ଡିଆର ଓ୍ବିକେଟ କିପର ରିଦ୍ଧିମାନ୍ ଶାହାଙ୍କୁ ଧମକ ଦେବା ମାମଲାରେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ବିସିସିଆଇ ଏକ ନିର୍ଦେଶ ଜାରି କରି କ୍ରୀଡା ସାମ୍ବାଦିକ ବୋରିଆ ମୁଜୁମଦାରଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ୍ ଲଗାଇଛନ୍ତି।
ବୁଧବାର ବିସିସିଆଇ ଦ୍ୱାରା ସବୁ ରାଜ୍ୟ ଆସୋସିଏସନ୍ ଓ ଅନ୍ୟ କ୍ଳବକୁ ଏକ ଚିଠି ଲେଖି ସୂଚୀତ କରି ଦେଇଛନ୍ତି ଯେ, ବୋରିଆ ମଜୁମଦାରଙ୍କୁ ଭାରତରେ କ୍ରିକେଟର ସବୁ ଇଭେଣ୍ଟରୁ ବ୍ୟାନ୍ କରିଦିଆ ଯାଇଛି। ଏହାର ଅର୍ଥ ଭାରତରେ ହେବାକୁ ଥିବା କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍କୁ ବୋରିଆ ମଜୁମଦାର କଭର କରିପାରିବେ ନାହିଁ। ନା ସେ କୌଣସି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇପାରିବେ। ବିସିସିଆଇର ନିର୍ଦେଶ ଅନୁସାରେ, ସେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। କେବଳ ସେତିକି ନୁହେଁ, ବିସିସିଆଇ ସହିତ ଜଡିତ କୌଣସି କ୍ରିକେଟ ସଂଘ କିମ୍ବା କ୍ଲବ ସହ ତାଙ୍କର କୌଣସି ସମ୍ପର୍କ ରହିବ ନାହିଁ।
ଉଲ୍ଲେଖନୀୟ ଯେ, ରିଦ୍ଧିମାନ କିଛି ଦିନ ପୂର୍ବରୁ ଟ୍ବିଟ୍ କରି କିଛି ସ୍କ୍ରିନ୍ସଟ୍ ସେୟାର କରିଥିଲେ, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, ଜଣେ ସାମ୍ବାଦିକ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହା ସହିତ ତାଙ୍କୁ ଧମକ ମଧ୍ୟ ଦେଇଥିଲେ ଦେଇଥିଲେ। ରିଦ୍ଧିମାନଙ୍କ ଦ୍ୱାରା ସେୟାର କରାଯାଇଥିବା ସ୍କ୍ରିନ୍ ସଟ୍ ଦ୍ୱାରା ବିସିସିଆଇ ଉକ୍ତ ସାମ୍ବାଦିକଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି।