ପଞ୍ଜାବରେ ବିପୁଳ ବିଜୟ ପରେ ଆଜି ଅମୃତସରରେ ମେଗା ରୋଡ ସୋ’ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗୱନ୍ତ ମାନଙ୍କୁ ନେଇ ରୋଡ ସୋ’ କରିଛନ୍ତି କେଜ୍ରିୱାଲ । ଜନସଭାକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ମୋ ସାନଭାଇ ଭଗୱନ୍ତ ଜଣେ ସଚ୍ଚୋଟ ବ୍ୟକ୍ତି ।
ପଞ୍ଜାବକୁ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ମିଳିଛନ୍ତି । ଯଦି ଆମ ଦଳର କୌଣସି ମନ୍ତ୍ରୀ ଓ ବିଧାୟକ ଏପଟ ସେପଟ କାମ କରନ୍ତି ତେବେ ତାଙ୍କୁ କେବଳ ବହିଷ୍କାର କରିବୁ ନାହିଁ ବରଂ ଜେଲ ପଠାଇ ଦେବୁ । ପୂର୍ବରୁ ପଞ୍ଜାବକୁ କିଛି ଲୋକ ଲୁଟୁଥିଲେ କିନ୍ତୁ ଏବେ ଏହି ଲୁଟ୍ ବନ୍ଦ ହେବ । ଏବେ ସରକାରୀ ଟଙ୍କା ଗରିବଙ୍କ ପଛରେ ଖର୍ଚ୍ଚ ହେବ, ପଞ୍ଜାବ ପାଇଁ ଖର୍ଚ୍ଚ ହେବ ।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ନିର୍ବାଚନ ସମୟରେ ଯେଉ ଁ ସବୁ ଗ୍ୟାରେଣ୍ଟି ଦେଇଥିଲୁ ତାହାକୁ ପୂରା କରିବୁ । କିଛି ପ୍ରତିଶ୍ରୁତି ପୂରଣ କରିବାକୁ ସମୟ ଲାଗିବ, ଆଉ କିଛି ପ୍ରତିଶ୍ରୁତିକୁ କିଛି ଦିନ ମଧ୍ୟରେ ହିଁ ପୂରା କରାଯିବ । ୧୬ ମାର୍ଚ୍ଚରେ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିନ୍ତୁ ସେହିଦିନ କେବଳ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ହେବେନି ବରଂ ପଞ୍ଜାବର ପ୍ରତିଟି କୁନି କୁନି ଶିଶୁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ପଞ୍ଜାବର ସମସ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି କେଜ୍ରିୱାଲ ।
ସେହିଭଳି ଭଗୱନ୍ତ ମାନ କହିଛନ୍ତି, ୧୦ ମାର୍ଚ୍ଚରେ ଯାହା ଘଟିଲା ତାହା ଐତିହାସିକ । ପଞ୍ଜାବରେ ଏଭଳି କେବେ ପୂର୍ବରୁ ହୋଇନଥିଲା । ପଞ୍ଜାବବାସୀ ଭଲ କାମ ପାଇଁ ଭୋଟ କରିଛନ୍ତି, ଲୁଟ୍ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଏହାସହ ଭଗୱନ୍ତ କହିଛନ୍ତି, ପୋଲିସକୁ ପୋଲିସ କାର୍ଯ୍ୟ କରାଇବୁ । କେବେ ହଇରାଣ କରିବୁନି କି ପୋଲିସ କାମରେ ମୁଣ୍ଡ ଖେଳାଇବୁନି । ସେଥିପାଇଁ ତ ସରକାରକୁ ଆସିବାର ପ୍ରଥମ ଦିନରୁ ହିଁ ୧୨୨ ଜଣ ବ୍ୟକ୍ତିଙ୍କ ଠାରୁ ପୋଲିସ ସୁରକ୍ଷା ବ୍ୟବସ୍ଥା କାଢି ନିଆଯିବ ।