କୋଷ୍ଟାଲ ହାଇଓ୍ୱେ, କଟକ-ଅନୁଗୋଳ-ସମ୍ବଲପୁର ଏନଏଚ-୫୫ ସମେତ ଅନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ କାର୍ଯ୍ୟ ପାଇଁ ହେଲା ସମୀକ୍ଷା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କଟକ-ସମ୍ବଲପୁର ଭାୟା ଅନୁଗୋଳ ଏନଏଚ-୫୫କୁ ଶୀଘ୍ର ସାରିବା ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ପ୍ରକଳ୍ପର ତ୍ୱରିତ ପଦକ୍ଷେପ ପାଇଁ ସମୀକ୍ଷା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଦୁଇଟି ପୃଥକ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଓଡ଼ିଶାର ପୂର୍ବାଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱ ରଖୁଥିବା ଏହି ସବୁ ଜାତୀୟ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସଡ଼କ ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧୀନ ଏନଏଚ-୫୫ ଅନେକ ଶିଳ୍ପଭିତ୍ତିକ ସହର, କୃଷି କେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଦେଇ ଯିବ । ଏନଏଚ ୫୫(ପୂର୍ବରୁ ଏନଏଚ ୪୨) ସମ୍ବଲପୁରରୁ କଟକ ସେକ୍ସନ ତିନୋଟି ପ୍ୟାକେଜରେ ବିଭକ୍ତ ରହିଛି ଏବଂ ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ବିଳମ୍ବିତ ହେଉଛି । ଏହି ପ୍ରକଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ବର୍ଷା ଋତୁ ପୂର୍ବରୁ ଭାବରେ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ କୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଗେମ୍ ଚେଞ୍ଜର ହେବ ।

ଭାରତମାଳା ଯୋଜନା ଅନ୍ତର୍ଗତ ୧୧,୦୪୦ କୋଟି ଟଙ୍କାର ପ୍ରସ୍ତାବିତ ୩୪୫ କିମି ଲମ୍ବ ରାମେଶ୍ୱରରୁ ଦୀଘା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିଭିନ୍ନ ପର୍ଯ୍ୟାୟରେ ରହିଛି । ସଏଲ ଏକ୍ସପ୍ଲୋରେସନ ବ୍ୟତିତ ଡ଼ିଟେଲ ଇଞ୍ଜିନିୟରିଂ ସର୍ଭେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାମେଶ୍ୱର-ରତ୍ନପୁର ପାଇଁ ଟେଣ୍ଡର ପ୍ରକ୍ରିୟା ଅକ୍ଟୋବର ୨୦୨୨ ସୁଦ୍ଧା ପ୍ରକାଶ ପାଇବ । ସେହିପରି ବଳକା ରତନପୁରରୁ ଦୀଘା ମାର୍ଚ୍ଚ ୨୦୨୩ ସୁଦ୍ଧା ଟେଣ୍ଡର ପ୍ରକାଶ ହୋଇପାରେ ।

ସହରାଞ୍ଚଳର ବିକାଶ ପାଇଁ ଆନୁମାନିକ ୫୭୪୪ କୋଟି ଟଙ୍କାର ପ୍ରସ୍ତାବିତ ଏନଏଚ-୧୬ ଅନ୍ତର୍ଭୁକ୍ତ ୧୧୧ କିମି କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ଖୋର୍ଦ୍ଧା ଟାଉନ, ଭୁବନେଶ୍ୱର ଏବଂ କଟକ ସହର ବାଇପାସ ଦେଇ ଯିବ । ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇସାରିଥିବା ବେଳେ ମାଟି ପରୀକ୍ଷଣ ବ୍ୟତିତ ସମସ୍ତ ଇଞ୍ଜିନିୟରିଂ ସର୍ଭେ ସମ୍ପୂର୍ଣ୍ଣ ହୋଇସାରଛି । ଅକ୍ଚୋବର ୨୦୨୨ ସୁଦ୍ଧା ଏହାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରାଯିବ ।

ସେହିପରି ପାରାଦୀପ-ବଡ଼ବିଲ ଇକୋନୋମିକ କୋରଡ଼ିର ଅନ୍ତର୍ଗତ ୮ ଲେନ୍ ବିଶିଷ୍ଟ ପାରାଦୀପ-ଚଣ୍ଡିଖୋଲ, ଏନଏଚ-୧୬ର ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାଣିକୋଇଲି, ଏନଏଚ-୨୦ରେ ୪ ଲେନ୍ ବିଶିଷ୍ଟ ପାଣିକୋଇଲି-କେନ୍ଦୁଝର-ରିମୁଳି, ୪ ଲେନ୍ ବିଶିଷ୍ଟ ରିମୁଳି-ଭଦ୍ରାସାହୀ, ୪ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ଡ଼ୁବୁରି ଏବଂ ୪ ଲେନ୍ ବିଶିଷ୍ଟ ଡୁବୁରି-କେନ୍ଦୁଝର ରହିଛି । ଏହି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ରହିଛି ।

ଏହି ଚାରୋଟି ଏନଏଚ୍ ପ୍ରକଳ୍ପ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଗଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ କଳ୍ପନାକୁ ସାକାର କରିବା ସହିତ ଓଡ଼ିଶାରେ ବିକାଶର ନୂଆ ଧାରା ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।