କୋରୋନା ଲକ୍ ଡାଉନ୍‌: ବିପନ୍ନମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ୨୧ ଦିନର ଲକ୍ ଡାଉନ୍‌କୁ ରାଜ୍ୟ ବିଜେପି ସମର୍ଥନ ଜଣାଇଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦିନ ମଜୁରିଆଠୁ ଆରମ୍ଭ କରି ରିକ୍ସା ବାଲା ପର‌୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଚିନ୍ତା କରିବା ଆବଶ୍ୟକ ରହିଛି । ରାଜ୍ୟରେ ବହୁ ସଂଖ୍ୟକ ବେକାର ଯବୁକ, ଯୁବତୀ ରହିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଖଟିଖିଆ, କେନ୍ଦୁ ପତ୍ର ତୋଳାଳି, ନିର୍ମାଣ ଶ୍ରମିକ, ଖଣି ଖାଦାନରେ କାମ କରୁଥିବା ଶ୍ରମିକ ଜୀବିକା ହରାଇ ବେରୋଜଗାର ହୋଇଛନ୍ତି ।

କାମ କଲେ ଚୁଲି ଜଳୁଥିବା ଶ୍ରମିକମାନଙ୍କ କଥା ଏବେ ଚିନ୍ତା କଲେ ଜଣେ ବ୍ୟକ୍ତି ବ୍ୟଥିତ ହେବ ନିଶ୍ଚୟ । କୋରୋନା ସେମାନଙ୍କର ଏବଂ ସେମାନଙ୍କ ପରିବାରର ଆହାର ଛଡ଼ାଇନେଇଛି । ଯଦିଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେତେକଙ୍କୁ ଚାଉଳ ମିଳିପାରୁଛି ତେବେ ଚାଉଳ ବ୍ୟତୀତ ସେମାନେ କଣ ଖାଇବେ ବୋଲି ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟମ ।

ଏହାସହ ସେ ଆହୁରି ଉଲ୍ଳେଖ କରିଛନ୍ତି, ରାଜ୍ୟରେ ପାଖାପାଖି ୩୦ ଲକ୍ଷ ଛୋଟ ବଡ଼ ଦୋକନ, ରେଷ୍ଟୋରାଣ୍ଟ, ହୋଟେଲ ବନ୍ଦ ଯୋଗୁଁ ବହୁ ଲୋକ ରୋଜଗାର ହରାଇଛନ୍ତି । ରାଜ୍ୟରେ ବେକାର ଯୁକକ, ଯୁବତୀଙ୍କ ସମସ୍ୟା ମଧ୍ୟ ଉତ୍କଟ । ଏହାସହ ବିଭିନ୍ନ ଡେଲିଭରୀ ସଂସ୍ଥାର, ଓଲା, ଉବର ଆଦି ବନ୍ଦ ହେବା ଯୋଗୁଁ ସେଥିରେ କାର‌୍ୟ୍ୟ କରୁଥିବା ଲୋକେ ମଧ୍ୟ ରୋଜଗାର ହରାଇଛନ୍ତି । କୋରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନହେବା ପର‌୍ୟ୍ୟନ୍ତ ଏହି ଲୋକମାନଙ୍କୁ ପରିବାର ପିଛା ୮ ହଜାର ଟଙ୍କା ଏବଂ ମୁଣ୍ଡପିଛା ମାସିକ ୨୦୦୦ ଟଙ୍କାର ସହୟତା ରାଶି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ଏହାସହ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ବିରେଶଧୀ ଦଳର ପରାମର୍ଶ ନେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ । ଆସନ୍ତା ୩୦ରେ ବିଧାନସଭାରେ ବଜେଟ ଅଧିବେସନ ଅନୁଷ୍ଠିତ ହେବାକୁ ଥିବା ବେଳେ କୋରୋନା ଆତଙ୍କ ନେଇ ବିରୋଧୀମାନଙ୍କ ସହ ଗୃହରେ ସଠିକ ଭାବେ ଆଲୋଚନା ନହେଲେ ରାଜ୍ୟ ସରକାରଙ୍କ କାର‌୍ୟ୍ୟକ୍ରମ ଯେ ଅସମ୍ପୂର୍ଣ୍ଣ ଏନେଇ ଏକ ବାର୍ତ୍ତା ଲୋକମାନଙ୍କ ପାଖକୁ ଯିବ ବୋଲି ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ ନାୟକ ।