କେନ୍ଦ୍ର ମନ୍ତ୍ରୀ ରାମ ବିଲାସଙ୍କୁ ଭେଟିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ,ରାଜ୍ୟକୁ ଚାଉଳ କୋଟା ବଢାଇବାକୁ ରଖିଲେ ଦାବି

ଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଓଡ଼ିଶାକୁ ଅଧିକ ଚାଉଳ ଦେବା ନେଇ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶୱାନଙ୍କୁ ଭେଟିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ବକେୟା ରଖିଥିବା ୫୦ କୋଟି ଟଙ୍କା ଦେବାକୁ ଦାବି କରିବା ସହ ଖାଦ୍ୟ ସୁରକ୍ଷା ଆଇନ୍ରେ ଆହୁରି ୧୭ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ବି କେନ୍ଦ୍ର ନିକଟରେ ରାଜ୍ୟ ଦାବି ରଖିଛି । ଏହା ସହ କେନ୍ଦ୍ର ସରକାର ୨୦୧୧ ଜନଗଣନା ଅନୁସାରେ ଏବେ ଓଡ଼ିଶାକୁ ଚାଉଳ ଦେଉଛି। ତେବେ ଗତ ୬ ବର୍ଷ ମଧ୍ୟରେ ରାଜ୍ୟ ଜନସଂଖ୍ୟା ବୃଦ୍ଧି ଘଟିଛି। ଫଳରେ ଅନେକ ଲୋକ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରୁଛନ୍ତି। ତେବେ କେନ୍ଦ୍ର ଚାଉଳ କୋଟା ବଢାଇ ନଥିବାରୁ ସେମାନଙ୍କୁ ସାମିଲ କରିବା ସମ୍ଭବ ହୋଇପାରୁ ନଥିବା ସୂର୍ଯ୍ୟ ନାରାୟଣ ପାତ୍ର ଦାବି କରିଛନ୍ତି। ଖାଦ୍ୟ ସୁରକ୍ଷା ଆଇନରେ ସଂସଦର ଅଧୀନ ହୋଇଥିବାରୁ ଏ ନେଇ ପାର୍ଲାମେଣ୍ଟରେ ନିଷ୍ପତ୍ତି ନେବ ଏବଂ ୨୦୨୧ ଜନଗଣନାରେ ଏହା ଆପେ ସଂଶୋଧନ ହୋଇଯିବ ବୋଲି ରାମବିଳାଶ ପାଶ୍ୱାନ କହିଛନ୍ତି ।