ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୮୭ ତମ ସଂସ୍କରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ତରଫରୁ କରାଯାଉଥିବା ରପ୍ତାନୀ ଓ ଅନ୍ୟ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ସପ୍ତାହରେ ଭାରତ ଏକ ବୃହତ ଉପଲବ୍ଧି ହାସଲ କରିଛି ।
ଏହାକୁ ନେଇ ଦେଶବାସୀ ଗର୍ବ କରୁଛନ୍ତି । ସେ କହିଛନ୍ତି କି ପୂର୍ବ ସପ୍ତାହରେ ଭାରତ ୪୦୦ ବିଲିୟନ ଡଲାର ଅର୍ଥାତ ୩୦ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନୀ କରିବା ଟାର୍ଗେଟ ହାସଲ କରିଛି । ଏହା ଅର୍ଥ ବ୍ୟବସ୍ଥା ସହ ଜଡିତ ଏକ ଉପଲବ୍ଧି ହୋଇଥିଲେ ବି ଏହି ରପ୍ତାନୀ ପ୍ରମାଣ କରିଛି କି ଭାରତ ଦିନକୁ ଦିନ ଆତ୍ମନିର୍ଭର ହେବା ସହ ନିଜର ସାମର୍ଥ ବୃଦ୍ଧି କରିପାରିଛି ।
ପ୍ରଧାନମନ୍ତ୍ରୀ କୃଷକ ଏବଂ ଯୁବ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରି କହିଛନ୍ତି, ଆମ କୃଷକ, ଉତ୍ପାଦନକରୀ ଏବଂ ଶିଳ୍ପର ସାମର୍ଥ୍ୟ ଏବଂ କଠିନ ପରିଶ୍ରମ ଯୋଗୁଁ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦ ତାଲିକା ବିଶାଳକାୟ ହୋଇପାରିଛି । ପୂର୍ବରୁ ମନେହେଉଥିଲା କେବଳ ବଡ଼ ଲୋକମାନେ ସେମାନଙ୍କ ଉତ୍ପାଦ ସରକାରଙ୍କୁ ବିକ୍ରୟ କରିପାରିବେ। କିନ୍ତୁ, ‘ଜିଇଏମ୍ ପୋର୍ଟାଲ୍’ ସେଭଳି ଭାବନାକୁ ବଦଳାଇ ଦେଇଛି। ଭାରତ ଏବେ ବଡ଼ ବଡ଼ କଥା କଳ୍ପନା କରି ତାହାକୁ ଚରିତାର୍ଥ କରିବାକୁ କାର୍ଯ୍ୟ କରୁଛି।
ପ୍ରତ୍ୟେକ ଭାରତୀୟ ‘ଭୋକାଲ୍ ଫର୍ ଲୋକାଲ୍’ ପାଇଁ ଲାଗିଲେ ‘ଲୋକାଲ୍’ ‘ଗ୍ଲୋବାଲ୍’ ହେବାରେ ବିଳମ୍ବ ହେବନାହିଁ। ‘ଲୋକାଲ୍’କୁ ‘ଗ୍ଲୋବାଲ୍’ରେ ପରିଣତ କରି ଆମ ଉତ୍ପାଦର ମାନ ଆହୁରି ବୃଦ୍ଧି କରନ୍ତୁ। ୬ ବର୍ଷ ତଳେ ଆୟୁର୍ବେଦୀୟ ଔଷଧର ବଜାର ୨୨,୦୦୦ କୋଟି ଥିଲା। କିନ୍ତୁ, ଆଜି ‘ଆୟୁଷ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଇଣ୍ଡଷ୍ଟ୍ରି’ ୧.୪୦ କୋଟି ଟଙ୍କାରେ ପହଞ୍ଚିଲାଣି ।
ପ୍ରଧାନମନ୍ତ୍ରୀ କହିଲେ, ନିକଟରେ ପଦ୍ମ ସମ୍ମାନ ପ୍ରଦାନ ଉତ୍ସବରେ ୧୨୬ ବର୍ଷିୟ ବାବା ଶିବାନନ୍ଦଙ୍କ ଶୌର୍ଯ୍ୟ ଏବଂ ସ୍ବାସ୍ଥ୍ୟ ଦେଖି ସମସ୍ତେ ଆଚମ୍ବିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଦେଶରେ ଆଲୋଚ୍ୟ ବିଷୟ ପାଲଟିଛି। ତାଙ୍କର ଯୋଗ ପ୍ରତି ବିଶେଷ ଅନୁରାଗ ରହିଛି।
ଜଳ ସଂରକ୍ଷଣ ପାଇଁ ଆମେ ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବ୍ୟବହୃତ ଜଳ ଗଛବୃଚ୍ଛ ଏବଂ ଅନ୍ୟାନ୍ୟ ବଗିଚା କାର୍ଯ୍ୟରେ ବ୍ୟବହାର କରିବା ଉପରେ ଆମେ ଧ୍ୟାନ ଦେବା ଉଚିତ। ଚାଲନ୍ତୁ, ‘ଜଳ ଯୋଦ୍ଧା’ ହେବାକୁ ପଣ କରିବା ଏବଂ ଜଳ ସଂରକ୍ଷଣକୁ ଆମ ଜୀବନର ‘ମିସନ୍’ରେ ପରିଣତ କରିବା। ପିଲାମାନେ ‘ସ୍ବଚ୍ଛ ଭାତର ଅଭିଯାନ’କୁ ସଫଳ କରିଛନ୍ତି। ଏବେ ସେମାନେ ଜଳସଂରକ୍ଷଣ କରିବା ନିମନ୍ତେ ‘ଜଳ ଯାଦ୍ଧା’ ହେବାକୁ ଆଗେଇ ଆସିବା ଉଚିତ।
ଏପ୍ରିଲ୍ ମାସରେ ଆମେ ଦୁଇଜଣ ବିଖ୍ୟାତ ବ୍ୟକ୍ତିତ୍ବଙ୍କର ଜୟନ୍ତୀ ପାଳିବା। ଉଭୟ ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି। ସେମାନେ ହେଉଛନ୍ତି ମହାତ୍ମା ଫୁଲେ ଏବଂ ବାବାସାହେବ ଆମ୍ବେଦକର । ପ୍ରଧାନମନ୍ତ୍ରୀ ମୋଦୀ ସାବିତ୍ରୀବାଈ ଫୁଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଛନ୍ତି।
ଶେଷରେ ପ୍ରଧାନମନ୍ତ୍ରୀ କହିଲେ, ଅନେକ ସଂସ୍କୃତି, ଭାଷା ଏବଂ ଆହାରରେ ଭାରତ ଗୌରବାନ୍ବିତ। ବିବିଧତା ହିଁ ଆମକୁ ଏକତ୍ର କରିଛି।