କୁମ୍ଭାରପଡ଼ା ଜଙ୍ଗଲରେ ଶିଶୁ ଆଗରେ ମାକୁ ହତ୍ୟା ଘଟଣା: ଶିଶୁର ଲାଳନ ପାଳନ ଭାର ନେବେ ସରକାର ,ସେପଟେ ହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର:ଜୟପୁର କୁମ୍ଭାରପଡ଼ା ଜଙ୍ଗଲରୁ ମୃତ ମହିଳାଙ୍କ ପାଖରୁ ଉଦ୍ଧାର ହୋଇଥିବା ଆଠ ମାସର ଶିଶୁ କନ୍ୟାର ଲାଳନ ପାଳନ ଭାର ବହନ କରିବେ ରାଜ୍ୟସରକାର । ଏହି ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଏଥି ସହିତ ଶିଶୁଟିକୁ ଚାଇଲ୍ଡ ହୋମରେ ରଖାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଶିଶୁର ଯଦି ପରିଚୟ ନମିଳେ ତେବେ ତାକୁ ୧୮ ବର୍ଷ ହେବାଯାଏ ସରକାର ତାର ରହିବା ଖାଇବା ପାଠ ପଢା ଠାରୁ ଆରମ୍ଭ କରି ସମସ୍ତ ଖର୍ଚ ବହନ କରିବେ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି । ଏଥି ସହିତ ଜିଲ୍ଲା ଶିଶୁ ଅଧିକାରୀ ଓ ଏସପିକୁ ପୃଥକ ପୃଥକ ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ । ସେପଟେ ଏହି ଘଟଣାର ଆରମ୍ଭ ହୋଇଛି ତଦନ୍ତ । ବୋରିଗୁମା ଏସଡିପିଓଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରୁଛି । ତେବେ ମୃତ ମହିଳାଙ୍କର ପରିଚୟ ଏଯାଏ ମିଳିପାରିନି । ଫଳରେ କେଉଁ ପରିସ୍ଥିତିରେ କିଏ କାହିଁକି ମହିଳାଙ୍କୁ ଏଠାକୁ ଆଣିଲା ଓ କାହିଁକି ତାଙ୍କୁ ହତ୍ୟା କରାଯାଇଛି, ସେନେଇ ଏଯାଏ ପୋଲିସ ହାତରେ କୌଣସି ସୁରଗ ଲାଗିନି । ମୃତ ମହିଳା ଜଣକ ଛତିଶଗଡ଼ କିମ୍ବା ଆନ୍ଧ୍ର ପ୍ରଦଶେର ବୋଲି ପୋଲିସ ସନ୍ଦେହ କରୁଛି । ଉଦ୍ଧାର ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍ ଠାକ୍ ରହିଛି । ତାକୁ କୋରାପୁଟ୍ ମେଡିକାଲ କଲେଜ ହସ୍ପିଟିଲାର ଶିଶୁ ୱାର୍ଡ ୧୪୩ ନମ୍ବର ବେଡରେ ରଖାଯାଇଛି । ତାର ରକ୍ତହିନତା ଥିବା ଓ ମୁଣ୍ଡରେ ଆଘାତ ଲାଘିଥିବାରୁ ତାକୁ ଅଧିକ ଚିକିତ୍ସା ଲାଗି କଟକ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଡାକ୍ତର । ସେପଟେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ୭୨ ଘଣ୍ଟା ମେଡିକାଲରେ ରଖାଯିବ ବୋଲି ବୋରିଗୁମ୍ମା ଏସ୍ ଡ଼ିପିଓ ସୂଚନା ଦେଇଛନ୍ତି ।