କଂଟେନମେଂଟ ଜୋନରେ ସାମିଲ ହେଲା ରାଉଲକେଲା

ସୁନ୍ଦରଗଡ: କଂଟେନମେଂଟ ଜୋନରେ ସାମିଲ ହେଲା ରାଉଲକେଲା । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଜି ଆଉ ତିନିଗୋଟି କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା। ସେହିପରି ୬ ନମ୍ବର ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଂଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା। ୪ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୭ ବର୍ଷିୟ ମହିଳା ଓ ୫ ନମ୍ବର ଆକ୍ରାନ୍ତ ୨୩ ବର୍ଷିୟ ଯୁବକ। ଉଭୟେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୦ ବର୍ଷିୟ ପୁରୁଷ ବ୍ୟକ୍ତି। ତାଙ୍କର ବର୍ତମାନ କଂଟ୍ରାକ୍ଟ ଟ୍ରେସିଂ ଜାରି ରହିଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି।

ଚତୁର୍ଥ ଓ ୫ ମ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ବିଶ୍ରା ଅଂଚଳରେ ପୂର୍ବ ଘୋଷିତ କଂଟେନମେଂଟ ଜୋନ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ସେହିପରି ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲା ରୋଡର ବାସିନ୍ଦା ହୋଇଥିବାରୁ ନାଲା ରୋଡ୍ ଅଂଚଳ ତତ୍ ସଂଲଗ୍ନ ଅଂଚଳକୁ ଆଜି ତାରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଘୋଷଣା କରାଯାଇଛି।