କଂଗ୍ରେସକୁ ଝଟକା; ଟିଏମ୍‌ସିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା

ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ରବିବାର ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ପୂର୍ବତନ ସାଂସଦଙ୍କୁ ଦଳରେ ସାମିଲ କରିଛନ୍ତି । ବୋରା ରାଜ୍ୟ କଂଗ୍ରେସରେ ଜାରି ରହିଥିବା ବିବାଦକୁ ଦର୍ଶାଇ ରବିବାର ନିଜର ଇସ୍ତଫା ଦେଇଥିଲେ ।

ପୂର୍ବତନ ରାଜ୍ୟସଭା ସଦସ୍ୟ ରିପୁନ ବୋରା ଆସାମରେ କଂଗ୍ରେସର ଅଧ୍ୟକ୍ଷ ବି ରହି ସାରିଛନ୍ତି । ରିପୁନ ବୋରା କଂଗ୍ରେସରୁ ଇସ୍ତଫା ଦେବା ପରେ ତୁରନ୍ତ ଟିଏମସି ନିଜର ଟ୍ବିଟର ଆକାଉଣ୍ଟରେ ତାଙ୍କର ଏବଂ ଅଭିଷେକ ବାନାର୍ଜୀଙ୍କ ଫଟୋକୁ ଟ୍ବିଟ କରିଛି । ପ୍ରକାଶ ଯେ ଟିଏମସି ୨୦୨୪ଲୋକସଭା ନିର୍ବାଚନର ପ୍ରସ୍ତୁତିରେ ଏବେ ଲାଗି ଯାଇଛି । ବିଜେପିକୁ ଚେକ୍ ଦେବାକୁ ମମତା ବାନାର୍ଜୀ ଏବେ କେତେକ ରାଜ୍ୟରେ ନିଜର ଶକ୍ତି ବଢାଉଥିବା ନଜର ଆସିଛନ୍ତି ।

ଏହାପୂର୍ବରୁ ଆସାମର ଜଣାଶୁଣା ନେତା ତଥା ବର୍ତ୍ତମାନ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ବି ଗତ ବର୍ଷ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗଦେଇଥିଲେ । ଏବେ ପୁଣି ପୂର୍ବତନ ମନ୍ତ୍ରୀ ରିପୁନ ବୋରା ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସ ଆହୁରି କମ୍‌ଜୋର ହେଉଥିବା ଦେଖାଯାଉଛି ।

ଟିଏମସି ଉତ୍ତର- ପୂର୍ବ ଭାରତରେ ନିଜ ଦଳର ଉପସ୍ଥିତି ଜାହିର କରିବାକୁ ଚାହୁଁଛି । ଏଭଳି ସ୍ଥିତିରେ ବୋରା ଆସିବା ପରେ ଟିଏମସର ଆଶା ଆହୁରୀ ବଢିଯାଇଛି । ଟିଏମସି ଆସାମ, ମେଘାଳୟ ଏବଂ ତ୍ରିପୁରାରେ ବିଜେପିର ସ୍ଥାନ ନେବାକୁ ପ୍ରୟାସ କରୁଛି ।