ଏସିଆର ଦ୍ବିତୀୟ ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । କେବଳ ୨୦୨୧ରେ ଆଦାନୀଙ୍କ ସମ୍ପତ୍ତି ପରିମାଣ ୪୯ ବିଲିୟନ ଡଲାର ବୃଦ୍ଧିପାଇଛି । ଆଦାନୀଙ୍କ ଗୋଟିଏ ବର୍ଷର ମୁନାଫା, ବିଶ୍ବର ବଡବଡ କୋଟିପତିଙ୍କୁ ବି ପଛରେ ପକାଇଦେଇଛି ।
୨୦୨୧ରେ ବିଶ୍ବର ଟପ୍ ୩ ଧନୀ ଏଲନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ଓ୍ବର୍ଣ୍ଣାର୍ଡ ଅରନୋଲ୍ଟଙ୍କ ମୋଟ ଆୟ ଅପେକ୍ଷା ଗୌତମ ଆଦାନୀଙ୍କ ଆୟ ଅଧିକ । ବୁଧବାର ପ୍ରକାଶିତ ଗ୍ଲୋବାଲ୍ ରିଚ୍ ଲିଷ୍ଟରେ ଏ ନେଇ ସୂଚନା ଜାରି କରାଯାଇଛି । ଅବଶ୍ୟ ରିଲାଏନ୍ସ ଶିଳ୍ପର ମୁଖ୍ୟ ମୁକେଶ ଅମ୍ବାନୀ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୦୩ ବିଲିୟନ ଡଲାର ରହିଛି । ଯେତେବେଳେ କି ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ୧୫୩ ପ୍ରତିଶତ ବୃଦ୍ଧି ପାଇଁ ୮୧ ବିଲିୟନ ଡଲାର ହୋଇଯାଇଛି ।
ଏମ୍୩ଏମ୍ ହୁରନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀ ୨୦୨୨ରେ ସବୁଠାରୁ ଅଧିକ ଲାଭ ପାଇଥିବା ବ୍ୟବସାୟୀ । ତାଙ୍କର ମୋଟ ସମ୍ପତ୍ତିରେ ଗତବର୍ଷ ୪୯ ବିଲିୟନ ଡଲାର ବୃଦ୍ଧି ଘଟିଛି । ସବୁଠାରୁ ବଡ ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ବିଶ୍ବର ବଡବଡ ଧନୀମାନଙ୍କ ସମ୍ପତ୍ତି ଠାରୁ ମଧ୍ୟ ଆଦାନୀଙ୍କ ସମ୍ପତ୍ତି ପରିମାଣ ବୃଦ୍ଧିପାଇଛି । ୨୦୨୧ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୨୦ ବିଲିୟନ ଡଲାର ବୃଦ୍ଧିପାଇଛି ।
ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୪ଶହ ପ୍ରତିଶତ ବୃଦ୍ଧିପାଇଥିବା ବେଳେ ଆଦାନୀଙ୍କ ସମ୍ପତ୍ତି ୧୮୩୦ ପ୍ରତିଶତ ବୃଦ୍ଧିପାଇଛି । ଅନ୍ୟପଟେ ଏଚ୍ସିଏଲ୍ ମୁଖ୍ୟ ଶିବ୍ ନାଦର ୨୮ ବିଲିୟନ ଡଲାର ସମ୍ପତ୍ତି ସହ ଭାରତର ଧନୀ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପରକୁ ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ସାଇରସ୍ ପୁନାଓ୍ବାଲାଙ୍କ ସମ୍ପତ୍ତି ପରିମାଣ ୨୬ ବିଲିୟନ ଡଲାର ରହିଛି ଏବଂ ଲକ୍ଷ୍ମୀ ମିତ୍ତଲଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାର ରହିଛି ।