ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ ଜଗା ଦର୍ଶନ । ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆସନ୍ତା ୨୯ ତାରିଖରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲା ରହିବ । ପୂର୍ବରୁ ଭକ୍ତ କେବଳ ପୂର୍ବ ଦ୍ୱାର ଦେଇ ପ୍ରବେଶ କରୁଥିଲେ ।
ପଶ୍ଚିମଦ୍ୱାର ଦେଇ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ ଭିତରକୁ ଛଡ଼ା ଯାଉଥିଲା । ଏବେ ପଶ୍ଚିମ ଦ୍ୱାର ଦେଇ ସମସ୍ତ ଭକ୍ତ ପ୍ରବେଶ କରିବା ନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ହୋଇଛି। ଚନ୍ଦନଯାତ୍ରା ପୂର୍ବରୁ ବଡଦାଣ୍ଡରେ ଥିବା ସେଡ୍ ଖୋଲାଯିବ। ଏହି ସେଡ୍ ଶ୍ରଦ୍ଧାଳୁଙ୍କ ପାଇଁ ପଶ୍ଚିମଦ୍ବାରରେ ଲଗାଯିବ। ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ୍ ନେଇ ମଧ୍ୟ ଅନୁମତି ଦିଆଯାଇଛି। ଅନ୍ୟପଟେ ରଥଯାତ୍ରା ପାଇଁ ଖୁବଶୀଘ୍ର ଆରମ୍ଭ କରାଯିବ ରଥ ନିର୍ମାଣ କାର୍ଯ୍ୟ । ନୀଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା ।
ଅନ୍ୟପଟେ ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୨୩୭ କୋଟି ୫୮ ଲକ୍ଷର ବଳକା ବଜେଟ ଆଗତ ହୋଇଛି । ଚଳିତ ବର୍ଷ ୩୩ କୋଟି ୬୨ ଲକ୍ଷର ବଳକା ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ ବୈଠକ ବସିଥିବା ବେଳେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ୨୫ ତାରିଖରେ ଆଉ ଏକ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି.ଭି ଯାଦବ ।