ଋଷ୍‌ର ମିସାଇଲ୍‌ ମାଡ଼ରେ ଧ୍ୱଂସ ହେଲା ମିଲିଟାରୀ ଏୟାରକ୍ରାଫ୍ଟ କାରଖାନା

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଘନଘନ ହେଉଛି ମିସାଇଲ୍‌ ମାଡ଼ । ଫଳରେ ନିମିଷକ ମଧ୍ୟରେ ଚାଲିଯାଉଛି ଜୀବନ । ଧ୍ୱଂସ ବିଧ୍ୱଂସ ହେଉଛି ସହର । ହେଲେ ପଛକୁ ହଟୁନି ଋଷ୍‌ କି ବାଟ ଛାଡ଼ୁନି ୟୁକ୍ରେନ୍‌ । ଲିବ୍‌ ସ୍ଥିତ ଏକ ମିଲିଟାରୀ ଏୟାରକ୍ରାଫ୍ଟ କାରଖାନା ଉପରେ ଗୋଟିଏ ପରେ ଗୋଟିଏ ମିସାଇଲ୍ ମାଡ଼ କରିଛି ଋଷ୍‌ ।

ଏହାରି ମଧ୍ୟରୁ ଦୁଇଟିକୁ ନଷ୍ଟ କରିଦେଇଛି ୟୁକ୍ରେନ୍‌ ସେନା । ସରକାରୀ ସ୍ତରରୁ ଜଣାପଡ଼ିଛି ଯେ, ଏଥିରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଏକ ବସ୍‌ କାରଖାନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ୟୁକ୍ରେନ୍‌ ଏୟାରଫୋର୍ସର ପଶ୍ଚିମ କମାଣ୍ଡ ମୁତାବିକ ଏହି ମିସାଇଲ୍‌ କୃଷ୍ଣ ସାଗରରୁ ଲଞ୍ଚ କରାଯାଇଥିଲା । ସକାଳ ପାଖାପାଖି ୬ଟା ସମୟରେ ଜଣେ ସିପାହୀ ଗୋଟିଏ ପରେ ଗୋଟିଏ ତିନୋଟି ଧମାକା ଶୁଣିଥିବା କହିଛନ୍ତି । ମିସାଇଲ୍ ମାଡ଼ ହୋଇଥିବା ସ୍ଥାନର ଜଣେ ବାସିନ୍ଦା କହିଛନ୍ତି ଯେ ଏହି ଧମାକାରେ ତାଙ୍କ ବିଲ୍ଡିଂ ଦୋହଲି ଯାଇଥିଲା । ପରେ ଲୋକେ ଏଣେ ତେଣେ ଦଉଡ଼ିବାକୁ ଲାଗିଲେ ।

ଅନ୍ୟପଟେ ଆଜି ୟୁକ୍ରେନ୍‌ ଏବଂ ଋଷ୍‌ ଆଜି ୯ଟି ହ୍ୟମାନ୍‌ କରିଡରକୁ ନେଇ ସହମତ ହୋଇଛନ୍ତି । ଏହି କରିଡର ମାରିୟୁପୋଲ, ସୁମି, ଟ୍ରଷ୍ଟ୍ୟାନୋଟସ୍‌, ଲେବେଡିନ୍, କୋନୋଟୋପ, କ୍ରାସ୍ନୋପିଲିଆ ଏବଂ ଭେଲେକା ପାଇସାରିଭ୍କାର ବସ୍ତି ଅଞ୍ଚଳରେ ହୋଇପାରେ । ଖାର୍କିଭ୍ ଓଲାଷ୍ଟର ବାଲାକାୟା ଏବଂ ଇଜିୟମ୍କୁ ୟୁକ୍ରେନ ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ୟୁକ୍ରେନ ଖାର୍କିଭ୍, ଓଲାଷ୍ଟର ବାଲାକାୟା ଏବଂ ଇଜିୟମ୍‌ରେ ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି ।