ଋଷ୍‌ର କଡା ଆଭିମୁଖ୍ୟ; ୪ଟି ପାଶ୍ଚାତ୍ୟ ଦେଶର ୩୧ ନାଗରିକଙ୍କ ଉପରେ ଲଗାଇଲା ବ୍ୟାନ୍

ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ନିଜ କୂଟନୀତିଜ୍ଞ ଏବଂ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଋଷ ମଧ୍ୟ ଲଗାତର ପ୍ରତିବାଦ କରୁଛି । ବର୍ତ୍ତମାନ ଋଷ ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଫାରୋ ଆଇସଲ୍ୟାଣ୍ଡ ଏବଂ ନରୱେର ୩୧ ଜଣଙ୍କୁ ଋଷରେ ପ୍ରବେଶ ଉପରେ ବ୍ୟାନ୍ ଲଗାଇଦେଇଛି । ଏହି ଦେଶର ଲୋକଙ୍କୁ ଭିସା ନଦେବାକୁ ଋଷ ତାର ଦୂତାବାସକୁ ନିର୍ଦ୍ଦେଶ ଦେଇଛି ।

ସୂଚନା ଅନୁସାରେ, ଋଷ୍ ଆଇସଲ୍ୟାଣ୍ଡର ୯ ଜଣ, ଗ୍ରୀନଲ୍ୟାଣ୍ଡର ୩ ଜଣ, ଫାରୋ ଆଇସଲ୍ୟାଣ୍ଡର ୩ ଜଣ ଏବଂ ନରୱେର ୧୬ଜଣଙ୍କର ଦେଶରେ ପ୍ରବେଶ ଉପରେ ରୋକ୍ ଲଗାଇଦେଇଛି । ଋଷର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ, ଋଷ୍ ବିରୋଧରେ ୟୁରୋପୀୟ ସଂଘ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକରେ ଏହି ୪ଟି ଦେଶ ମଧ୍ୟ ସାମିଲ ହୋଇଯାଇଛନ୍ତି । ଏଥିପାଇଁ ସେମାନଙ୍କ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ କରି ଏଭଳି ପଦକ୍ଷେପ ନିଆଯାଇଛି ।

ମନ୍ତ୍ରଣାଳୟ ଅନୁସାରେ ଯେଉଁ ୩୧ ଜଣଙ୍କ ଉପରେ ବ୍ୟାନ୍ ଲଗାଯାଇଛି ସେମାନଙ୍କ ମଧ୍ୟରୁ କେତେକ ସାଂସଦ, ବ୍ୟବସାୟୀ, ମିଡିଆ କର୍ମଚାରୀ, ଏକାଡେମିସିଆନ୍ ଏବଂ ଗଭର୍ଣ୍ଣମେଣ୍ଟ ସେକ୍ଟର ସହ ଜଡିତ ଅଛନ୍ତି । ଅଭିଯୋଗ ହୋଇଛି ଯେ, ଏମାନେ ନିଜ ନିଜ ଦେଶରେ ଋଷ୍ ବିରୋଧୀ ମନ୍ତବ୍ୟ ଦେଉଥିଲେ ଏବଂ ଋଷ୍ ବିରୋଧୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ସେମାନଙ୍କୁ ଦଣ୍ଡିତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ସିନହୁଆର ରିପୋର୍ଟ ଅନୁସାରେ, ଏହି ୪ଦେଶର ବ୍ୟାନ୍ କରାଯାଇଥିବା ୩୧ ଜଣଙ୍କୁ ଋଷର ଷ୍ଟପ୍ ତାଲିକାରେ ଯୋଡି ଦିଆଯାଇଛି । ଏହାସହ ସେମାନଙ୍କର ଋଷରେ ପ୍ରବେଶ ଉପରେ ରୋକ୍ ଲଗାଇ ଦିଆଯାଇଛି । ଯଦି ସେମାନେ କୌଣସି ପ୍ରକାରରେ ଋଷକୁ ଆସୁଥିବା ଜାହାଜରେ ଯାତ୍ରା କରନ୍ତି ତେବେ ସେମାନଙ୍କୁ ବିମାନରୁ ଓହ୍ଲାଇବାକୁ ଦିଆଯିବନାହିଁ ଏବଂ ସେହିଠାରୁ ଫେରାଇ ଦିଆଯିବ ।