ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ମାରିଦେବାକୁ ଧମକ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍‌ତାଲି ବେନେଟ୍‌ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଏକ ଧମକପୂର୍ଣ୍ଣ ଚିଠି ସହ ଗୁଳି ପଠାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରର ସୁରକ୍ଷା ବଢାଇ ଦିଆଯାଇଛି । ସେପଟେ ଏହି ଧମକପୂର୍ଣ୍ଣ ଚିଠି ପଛରେ କାହା ହାତ ଅଛି ଜାଣିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ଇସ୍ରାଏଲ ପୋଲିସ କହିଛି ଯେ, ପ୍ରଧାନମନ୍ତ୍ରୀ ନଫ୍‌ତାଲି ବେନେଟଙ୍କ ପରିବାରକୁ ଏକ ଧମକପୂର୍ଣ୍ଣ ଚିଠି ସହ ଗୁଳି ପଠାଯାଇଛି । ଏହି ମାମଲାରେ ସ୍ୱତନ୍ତ୍ର ଅପରାଧ ଶାଖା ଏବଂ ସୁରକ୍ଷା ଏଜେନ୍ସୀ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଅନ୍ୟ ସୂଚନା ଗୋପନୀୟ ରଖାଯାଇଛି ।

ସେପଟେ ବେନେଟ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଧମକପୂର୍ଣ୍ଣ ଚିଠି ପରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରର ସୁରକ୍ଷା ବଢାଇ ଦିଆଯାଇଛି । ଏହାସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦିଆଯାଇଛି ।