ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ଶ୍ରୀଜଗନ୍ନାଥ ମେଡିକାଲ କଲେଜର କରିବେ ଉଦଘାଟନ । ଏହାପୂର୍ବରୁ ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଅବଗତ ହୋଇଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବା ସ୍ଥାନରେ ମଧ୍ୟ ଜିଲ୍ଲାପାଳ ଓ ଏସପି ଯାଞ୍ଚ କରିଛନ୍ତି ।

ସେପଟେ ପୁରୀ ମେଡିକାଲ କଲେଜ ଉଦଘାଟନକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଟ୍ୱିଟ କରି କହିଛନ୍ତି, ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଉଚିତ । ବିଜେଡି ସରକାର ଏହାର କ୍ରେଡିଟ୍ ନେବାକୁ ଚାହୁଁଛି । ବିଜେଡି କହିଛି ଯେ, ସେହି ସମୟରେ କିଏ ମିଳିବେ, ତାହା ସରକାର ନିଷ୍ପତି ନେବେ ।

ବାଲିଗୁଆଳି ନିକଟରେ ପାଞ୍ଚ ଶହ କୋଟି ଟଙ୍କା ବିନିମୟରେ ନିର୍ମିତ ମେଡିକାଲ କଲେଜରେ ୪୫୦ ଛାତ୍ରଛାତ୍ରୀଙ୍କ ରହିବା ନିମିତ୍ତ ହଷ୍ଟେଲ ସହ ଲ୍ୟାବ, କ୍ଲାସରୁମ, ପ୍ରଶାସନିକ ଭବନ ପ୍ରସ୍ତୁତ ରହିଛି । ସୋମବାର ଠାରୁ ୧୦୦ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି ।