ଆସନ୍ତାକାଲିଠାରୁ ନବମ ଶ୍ରେଣୀ ସମେଟିଭ୍‌-୨ ପରୀକ୍ଷା, ନୋଡାଲ୍‌ ସେଣ୍ଟର୍‌ରେ ପହଞ୍ଚିଲା ପ୍ରଶ୍ନପତ୍ର

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ମାଟ୍ରିକ୍‌ ପରୀକ୍ଷା ଢାଞ୍ଚାରେ ହେଉଥିବା ନବମ ଶ୍ରେଣୀ ସମେଟିଭ୍‌-୨ ଆସେସ୍‌ମେଣ୍ଟ(ଏସ୍‌.ଏ-୨) ପରୀକ୍ଷା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ । ଏପ୍ରିଲ୍‌ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ରାଜ୍ୟର ୩୯୦ଟି ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଯାଇଛି ।

ମଙ୍ଗଳବାର ସୁଦ୍ଧା ଏହି ପ୍ରଶ୍ନପତ୍ରକୁ ପ୍ରଧାନଶିକ୍ଷକମାନେ ନୋଡାଲ୍‌ ସେଣ୍ଟରଗୁଡ଼ିକରୁ ଗ୍ରହଣ କରି ନିଜ ନିଜ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବେ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବ ନିଷ୍ପତ୍ତି ଅନୁସାରେ, ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସମେଟିଭ୍‌-୨ ପରୀକ୍ଷା ନିଜ ବିଦ୍ୟାଳୟରେ ହୋଇଥିବା ସେଣ୍ଟରରେ ହିଁ ଦେବେ । ତେବେ ଏହି ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ବୋର୍ଡ ସଭାପତି ରାମଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍‌ସିଂ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଶ୍ନପତ୍ରର ସୁରକ୍ଷା, ପରୀକ୍ଷା ପରିଚାଳନା, ଖାତା ସଂଗ୍ରହ ଏବଂ ଖାତା ମୂଲ୍ୟାୟନ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ଶିକ୍ଷାଧିକାରୀମାନଙ୍କ ସହ ବୋର୍ଡ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି । ବୈଠକରେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ, ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।