ଆମେରିକାରୁ ଚିହ୍ନଟ ହେଲେ ଦ୍ୱିତୀୟ ବାର୍ଡ ଫ୍ଲୁ ସଂକ୍ରମିତ

ଆମେରିକାରୁ ଚିହ୍ନଟ ହେଲେ ବାର୍ଡ ଫ୍ଲୁ ଏଚ ୫ରେ ସଂକ୍ରମିତ ଦୁନିଆର ଦ୍ୱିତୀୟ ବ୍ୟକ୍ତି । ଆମେରିକାର ରୋଗ ନିୟନ୍ତ୍ରକ ଏବଂ ସୁରକ୍ଷା କେନ୍ଦ୍ର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ କୋଲୋରାଡୋର ହୋଇଥିବା ବେଳେ ଆମେରିକାର ଏହା ପ୍ରଥମ ମାମଲା ହୋଇଥିବା ସଂସ୍ଥା ସ୍ପଷ୍ଟ କରିଛି। କୌଣସି ମଣିଷଙ୍କୁ ଏଚ ୫ ସଂକ୍ରିତ କରିବାରେ ଏହା ବିଶ୍ୱର ଦ୍ୱିତୀୟ ମାମଲା।

ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ବ୍ୟକ୍ତି ଜଣଙ୍କ ସଂକ୍ରମିତ କୁକୁଡ଼ାଙ୍କ ସମ୍ପର୍କରେ ଆସିଥିଲେ। ଏହାପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ରିପୋର୍ଟ ଅନୁସାରେ, ଦୁନିଆରେ ଏହିପରି ପ୍ରଥମ ମାମଲା ଚୀନରୁ ଚିହ୍ନଟ ହୋଇଥିଲା। ଏଠାରେ ଏକ ୪ ବର୍ଷର ଶିଶୁ ବାର୍ଡ ଫ୍ଲୁର ଏଚ୩ଏନ୮ ଷ୍ଟ୍ରେନରେ ସଂକ୍ରମିତ ହୋଇଥିଲା ଏବଂ ଏହା ପ୍ରଥମ ମାନବ ସଂକ୍ରମଣ ଥିଲା। ଏହି ଶିଶୁଟି ମଧ୍ୟ ସଂକ୍ରମିତ କୁକୁଡାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲା। ତେବେ ଏଚ ୫ ବାର୍ଡ ଫ୍ଲୁର ପ୍ରଥମ ମାମଲା ବ୍ରିଟେନର ଜଣେ ନାଗରିକଠାରେ ଚିହ୍ନଟ ହୋଇଥିଲା। ବ୍ୟକ୍ତି ଜଣଙ୍କ ଏକ କୁକୁଡା ଫାର୍ମରେ କାମ କରୁଥିଲେ।

ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, କୋଲୋରାଡୋରେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ବ୍ୟକ୍ତିଙ୍କ ନାକରୁ ନମୂନା ସଂଗ୍ରହ କରାଯାଇଥିଲା ଏବଂ ଏପ୍ରିଲ ୨୭ରେ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପୂର୍ବରୁ ମଧ୍ୟ ଏହି ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ହୋଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ଆମେରିକାର ଅଧିକାରୀ କହିଛନ୍ତି, ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ ସତର୍କତା ଅବଲମ୍ୱନ କରାଯାଉଛି। ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି।