ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଛି ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି ବାତ୍ୟା । ଏହା ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇ କାଲି ସକାଳୁ ଅବପାତରେ ପରିବର୍ତନ ହେବ । ଆଜି ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିଥିଲେ ବି ସ୍ଥଳଭାଗରେ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।
ଅସାନି ପ୍ରଭାବରେ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ଆସନ୍ତାକାଲି ବି କିଛି ସ୍ଥାନରେ ବର୍ଷାର ଚେତାବନୀ ଦିଆଯାଇଛି ।
ଆନ୍ଧ୍ର ଉପକୂଳକୁ ବାତ୍ୟା ଅସାନି ଯେତେବେଳେ ପାଖେଇ ଆସୁଥିଲା, ସମସ୍ତଙ୍କ ନଜର ଥିଲା ଏହାର ପ୍ରଭାବ କଣ ପଡ଼ିବ । କିନ୍ତୁ ସବୁକିଛି ପୂର୍ବନୁମାନ ଅନୁସାରେ ଥିଲା । ଏବଂ ବାତ୍ୟା ଅସାନିର ସେଭଳି ବିଶେଷ ପ୍ରଭାବ ପଡ଼ିନଥିଲା । ମଝିରେ ମଝିରେ ବର୍ଷା ଓ ପବନ, ସେପଟେ ସମୁଦ୍ରରେ କିଛି ମାତ୍ରାରେ ଉଚ୍ଚ ଜୁଆର ଯେତିକି ଭୟ ସୃଷ୍ଟି କରୁନଥିଲା, ଲୋକଙ୍କ ମନରେ ସେତିକି କୌତୁହଳ ସୃଷ୍ଟି କରିଥିଲା । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ରହିଥିଲେ ବି ସ୍ଥଳ ଭାଗରେ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।
ବାତ୍ୟା ଅସାନିର ଗତିପଥକୁ ଆକଳନ କରିବା ପାଣିପାଗ ବିଜ୍ଞାନୀଙ୍କ ପାଇଁ ପ୍ରଥମରୁ ହିଁ ଆହ୍ୱାନପୂର୍ଣ୍ଣ ରହିଥିଲା । ପୂରା ଗତିପଥ ଆଗୁଆ ଆକଳନ କରିବା ସହଜ ହୋଇନଥିଲା । ଉପକୂଳକୁ ବାତ୍ୟା ଯେତିକି ପାଖେଇ ଥିଲା, ବାତ୍ୟାର ଗତିପଥ ସେତିକି ପରିବର୍ତନ ହେଉଥିଲା । ବାତ୍ୟାର ଗତିପଥକୁ ଆଇଏମଡି ପୂର୍ବରୁ ଯେଉଁ ଆକଳନ କରିଥିଲା, ସେଥିରେ ପରିବର୍ତନ ହୋଇ ଚାଲିଥିଲା । ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁ ବାତ୍ୟା ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି ଅସାନି । ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇ ୧୨ ତାରିଖ ସକାଳୁ ଅବପାତରେ ପରିବର୍ତନ ହେବ । ଓଡ଼ିଶା ଉପକୂଳ ନଛୁଇଁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଚାଲିଯିବ ବାତ୍ୟା ।
କାହିଁକି ଦୁର୍ବଳ ହେଲା ‘ଅସାନି’?
ପ୍ରଥମ କାରଣ – ସମୁଦ୍ର ନିକଟରେ ବାତ୍ୟାର ମନ୍ଥର ଗତି ଏହାକୁ ଦୁର୍ବଳ କରିବାରେ ସହାୟକ ହୋଇଥିଲା
ଦ୍ୱିତୀୟ କାରଣ – ସ୍ଥଳଭାଗ ନିକଟରେ ବହୁ ସମୟ ଧରି ରହିବା ଫଳରେ ଦୁର୍ବଳ ହୋଇଥିଲା
ତୃତୀୟ କାରଣ – ସ୍ଥଳଭାଗରୁ ପଶ୍ଚିମା ଶୁଷ୍କ ବାୟୁ ବାତ୍ୟାର କେନ୍ଦ୍ରସ୍ଥଳ ଆଡକୁ ପ୍ରବାହିତ ହେଉଥିବାରୁ ଏହା ଅଧିକ ଶକ୍ତିଶାଳୀ ହୋଇପାରିଲା ନାହିଁ
ଚତୁର୍ଥ କାରଣ – ଏହିସବୁ ଅଂଚଳରେ ୱିଣ୍ଡ ସ୍ପିୟର ସାଧାରଣ ଠାରୁ ଅଧିକ ରହିଥିବାରୁ ବାତ୍ୟା ଦୁର୍ବଳ ହୋଇଥିଲା
ବାତ୍ୟାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହୋଇଛି । ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ୧୨ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଂଜାମ, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା କରିଛି ପାଣିପାଗ ବିଭାଗ ।