ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ

ଜମାତ-ଉଦ-ଦାବା ମୁଖ୍ୟ ହାଫିଜ୍ ସଇଦକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଉ ଦୁଇଟି ମାମଲାରେ ୩୧ ବର୍ଷ ପାଇଁ ସଜ୍ଜା ଶୁଣାଯାଇଛି । ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ହାଫିଜ୍ ସଇଦଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏ ହେଉଛି ସେହି ହାଫିଜ୍ ସଇଦ ଯିଏକି ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ଯାହାର ପ୍ଲାନରେ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ ଆଉ ଆଖି ବୁଜିଥିଲେ ୧୬୬ ଜଣ ଲୋକ ।

ତେବେ ଏହା ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ହାଫିଜ ସଇଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିସାରିଛି । ଖାଲି ସେତିକି ନୁହେଁ, ତା ଉପରେ ଏକ କୋଟି ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ତେବେ ୨୦୧୯ ଜୁଲାଇ ୧୭ ତାରିଖରେ ତାକୁ ଗିରଫ କରାଯାଇଥିଲା । ଏହାପରେ ୨୦୨୦ରେ ତାଙ୍କୁ ଆତଙ୍କବାଦୀ ନିରୋଧୀ ଅଦାଲତ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ୧୧ ବର୍ଷ ପାଇଁ ସଜ୍ଜା ଶୁଣାଇଥିଲେ । ଆଉ ଏବେ ତାକୁ ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ୩୧ ବର୍ଷ ପାଇଁ ସଜ୍ଜା ଶୁଣାଇଛନ୍ତି ।