ଆଜି ହେରାପଞ୍ଚମୀ: ରଥର ଚକ ଭାଙ୍ଗିବେ ମା’ମହାଲକ୍ଷ୍ମୀ

ପୁରୀ :ଆଜି ହେରାପଞ୍ଚମୀ । ଜଗତ୍ଜନନୀ ମା’ମହାଲକ୍ଷ୍ମୀ ଶରଧାବାଲିକୁ ଯାଇ ନନ୍ଦିଘୋଷ ରଥର ଚକ ଭାଙ୍ଗିବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ୪ଦିନ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିବାଯୋଗୁ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇପଡିଛନ୍ତି । ଶ୍ରୀଜୀଉମାନଙ୍କ ନିକଟରେ ସନ୍ଧ୍ୟାଧୂପ ପୂଜା ବସିଥିବା ବେଳେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ବିଜେ କରିବେ । ସେଠାରେ ତାଙ୍କୁ ବନ୍ଦାପନା କରାଯିବ । ମା’ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରର ଭିତରକାଠ ପାଖରେ ପହଞ୍ଚିବା ପରେ ସେବାୟତମାନେ ମହାପ୍ରଭୁଙ୍କଠାରୁ ଏକ ଆଜ୍ଞାମାଳ ଆଣି ତାଙ୍କୁ ପ୍ରଦାନ କରିବେ । ସେହି ସମୟରେ ଭୋଗ ଲାଗି ଟେରା ପକାଯିବାର ପରମ୍ପରା ରହିଛି । କ୍ରୋଧାନ୍ୱିତ ମହାଲକ୍ଷ୍ମୀ ସେଠାରୁ ଆସି ନନ୍ଦିଘୋଷ ରଥର ଏକ ଚକ ଭାଙ୍ଗିବା ପରେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ହେରାପଞ୍ଚମୀ ତିଥିରେ ବଡଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବା ବେଳେ ହେରାଗୋହରୀ ସାହିଦେଇ ଫେରିବାର ପରମ୍ପରା ରହିଛି । ରାସ୍ତାରେ ବିଭିନ୍ନ ଅନୁଷ୍ଠାନ ଏବଂ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପକ୍ଷରୁ ମା’ଙ୍କୁ ପଂକ୍ତି ଭୋଗ କରାଯିବ । ବିଳମ୍ବିତ ରାତିରେ ଅନୁଷ୍ଠିତ ହେବାକୁ ଥିବା ଏହି ଆକର୍ଷଣୀୟ ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।