ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ମହାକୁମ୍ଭ। ଆଇପିଏଲର ୧୫ତମ ସଂସ୍କରଣ ଆଜିଠୁ ଖେଳାଯିବ। ଆଜି ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଖେଳାଯିବ । ମୁମ୍ବାଇର ୱୋଙ୍ଖେଡେ ଷ୍ଟାଡିୟରେ ରାତି ସାଢ଼େ ୭ଟାରୁ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳର ନେତୃତ୍ୱ ନେଉଛନ୍ତି ନୂଆ ଅଧିନାୟକ । କୋଭିଡ କାରଣରୁ ଗତ ୨ ବର୍ଷ ହେବ ଭାରତ ବାହାରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଏଥର ପୁଣି ଭାରତରେ ମ୍ୟାଚ ହେଉଥିବାରୁ ଦର୍ଶକ, ବିଶେଷଜ୍ଞ ଓ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି ।
କୋଲକାତା ଟିମ୍ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱକୁ ଭେଟିବ । ଗତ ସଂସ୍କରଣରେ ଏହି ୨ଟି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚେନ୍ନାଇ ଏହାର ବିଜୟକୁ ନିଜ ନାଁରେ ସାମିଲ କରିବା ସହିତ ୪ର୍ଥ ଥର ପାଇଁ ଚମ୍ପିଅନ ହୋଇଥିଲା ।