ଆଜିଠୁ ଆରମ୍ଭ ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ବିଜେପିର ବିଜୟ ସଂକଳ୍ପ ଅଭିଯାନ । ଆସନ୍ତା ୧୭ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଯିବା ସହ ଦୁଇଟି ନିର୍ଣ୍ଣାୟକ ମୁଦ୍ଦା ପ୍ରସଙ୍ଗରେ ବିଶେଷ ଗୁରୁତ୍ୱ ଦେଉଛି ଦଳ । ପ୍ରଥମଟି ହେଲା ନବୀନ ସରକାର ବଦଳିବା ଦରକାର ଏବଂ ଅନ୍ୟଟି ହେଲା ମୋଦି ସରକାର ଆସିବା ଦରକାର । ସେହିପରି ଏହି ୭ ଦିନିଆ ଅଭିଯାନରେ ରାଜ୍ୟରେ ପାଖାପାଖି ୫ ହଜାରରୁ ସାଢେ ୫ ହଜାର ସଭା ଆୟୋଜିତ କରିବ ଦଳ  ଏବଂ ଏହି ସଭା ମାଧ୍ୟମରେ ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କର ପୂରା ୬୦ ମାସର ଅବଦାନ ସଂପର୍କରେ ଦଳ ସିଧାସଳଖ ଭାବରେ ଜନାତଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।ବିଜେପିର ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଗଢ଼ିବା । ଏବଂ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଢ଼ିବା । ତେବେ ପୂର୍ବରୁ ବିଜେପି ‘ମୋ ଘର ବିଜପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରି ବିଜେପି କର୍ମୀମାନେ ଘର ଆଗରେ ପତାକା ମାରି ଦବଦବା ଦେଖାଇଛନ୍ତି । ଏବେ ବିଜେପିର ଏହି ଅଭିଯାନ ଦ୍ୱାରା ଆହୁରି କିଛି ଲୋକ ବିଜେପି ପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଇଛି । ରାଜ୍ୟର ସାଢ଼େ କୋଟି ଲୋକଙ୍କ ପାଖରେ ବିଜେପିର ଉନ୍ନତି ମୂଳକ କାର୍ଯ୍ୟକ୍ରମ ପହଁଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।