ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଲାଗି ରବିବାରଠାରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ପ୍ରଚାର ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’। ଶନିବାର ସଂଖ୍ୟାଲଘୁ ବ୍ୟାପାରର କେନ୍ଦ୍ର ମନ୍ତ୍ରୀ ମୁଖ୍ତାର୍ ଆବ୍ବାସ୍ ନକ୍ଓ୍ଵି କହିଛନ୍ତି ଯେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ରବିବାର ଓ ମଙ୍ଗଳବାର ଦେଶର ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ‘ବିଜୟ ସଙ୍କଳ୍ପ ସଭା’ରେ ଉଦ୍ବୋଧନ ଦେବେ। ‘ବିଜୟ ସଙ୍କଳ୍ପ ସଭା’ ଜରିଆରେ ବିଜେପି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସମୃଦ୍ଧି, ସମ୍ମାନ ଏବଂ ନିରାପତ୍ତା ପାଇଁ କରାଯାଇଥିବା କାମ ବିଷୟରେ ସୂଚନା ଦେବ। ରବିବାର ଶାହା ଆଗ୍ରା ଠାରେ ଏକ ରାଲିରେ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ଠାରେ ପ୍ରଚାର ଅଭିଯାନ ସଭାରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ନାଗପୁର ଠାରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗୌତମ ବୁଦ୍ଧ ନଗର ଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ।
ରବିବାର କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟନାରେ ଏକ ସଭାରେ ଉଦ୍ବୋଧନ ଦେବେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସମ୍ଭାଲ ଠାରେ, କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ବରେଲି ଠାରେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଭିଲଓ୍ଵାରା ଠାରେ, କେନ୍ଦ୍ର ମନ୍ତ୍ରୀ ଥଓ୍ଵାର୍ଚାନ୍ଦ ଗେହଲୋଟ ଉଜ୍ଜୟିନୀ ଠାରେ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ।