ବୁଧବାର ଆଇସିସି ଟି-୨୦ ରାଙ୍କିଂ ଜାରି କରିଛି। ଏଥିରେ ଭାରତର ନିଜର ଦବଦବା ଜାରି ରଖିଛି। ବାର୍ଷିକ ରାଙ୍କିଂରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି। ଆଇସିସିର ସଦ୍ୟ ଜାରି ରାଙ୍କିଂରେ ଇଂଲଣ୍ଡଠାରୁ ୫ ଅଙ୍କ ଉପରେ ରହି ଶୀର୍ଷ ସ୍ଥାନରେ ରହିଛି ଭାରତ। ଇଂଲଣ୍ଡ ୨୬୫ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଟି ୨୦ ବିଶ୍ୱ କପରେ ଭାରତର ନୈରାସ୍ୟଜନକ ପ୍ରଦର୍ଶନ ପରେ ଦଳ ଟି-୨୦ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା।
ଘରୋଇ ମୈଦାନରେ ଭାରତର ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ୨୦୨୧-୨୨ ବର୍ଷର ଶେଷରେ ବିଶ୍ୱର ନମ୍ୱର ୱାନ ଟି ୨୦ ଟିମ ହୋଇଛି। ଅନ୍ୟପଟେ ଆଇସିସିର ଟେଷ୍ଟ ରାଙ୍କିଂରେ ଶୀର୍ଷରେ ଥିବା ଅଷ୍ଟ୍ରେଲିଆଠାରୁ ୯ ଅଙ୍କ ପଛରେ ରହିଛି। ବାର୍ଷିକ ରାଙ୍କିଂରେ ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟରେ ଦୁନିଆର ଏକ ନମ୍ୱର ଟିମ ହୋଇଛି।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଘରୋଇ ପଡିଆରେ ନ୍ୟୁଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ୍ ଏବଂ ଶ୍ରୀଲଙ୍କାକୁ ହରାଇଥିଲା ଭାରତ। ରାଙ୍କିଂରେ ଭାରତ ୨୭୦ ଅଙ୍କ ସହ ଶୀର୍ଷ ସ୍ଥାନରେ ରହିଛି। ୨୬୫ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ, ୨୬୧ ଅଙ୍କ ସହ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି। ସେହିପରି ୨୫୩ ଅଙ୍କ ସହ ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି।