ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

ମଧ୍ୟପ୍ରଦେଶ ଜବଲପୁର ଡୁମନା ବିମାନବନ୍ଦରରେ ଶନିବାର ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ୫୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଅବତରଣ କରୁଥିବା ବେଳେ ଅଚାନକ ରନୱେରେ ଖସଡି ଯାଇଛି। ତେବେ ବିମାନରୁ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ଗୋଟାଏ ୧୩ ମିନିଟ୍ ରେ ହୋଇଥିଲା।

ସୂଚନା ଅନୁସାରେ ଦିଲ୍ଲୀରୁ ଜବଲପୁର ଯାତ୍ରୀ ନେଇ ଆସିଥିବା ଏୟାର ଇଣ୍ଡିଆ ବିମାନଟି ଅବତରଣ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ରନୱେରେ ସ୍ୱଭାବିକ ଅବତରଣ କରିବା ପରେ ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବିମାନଟି ରନୱେରେ ସ୍ଲିପ ହୋଇଯାଉଥିବା ବେଳେ ପାଇଲଟ ପୁଣି ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ବିମାନ ସମେତ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି।

ବିମାନରେ ୫୫ ଜଣ ଯାତ୍ରୀଙ୍କ ବ୍ୟତୀତ ପାଇଲଟଙ୍କ ସମେତ ୫ ଜଣ କ୍ରୁ ମେମ୍ବର ମଧ୍ୟ ଥିଲେ। ତେବେ ସମସ୍ତେ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ବିମାନର ଲ୍ୟାଣ୍ଡିଂ ଫ୍ରେଟ ହ୍ୱିଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ସୂଚନା ପାଇ ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛି। କେଉଁ କାରଣରୁ ଏଭଳି ପରିସ୍ଥିତି ଉପୁଜିଲା ତାହା ଜାଣିବା ଲାଗି ଏବେ ଉଦ୍ୟମ କରାଯାଉଛି। ଏହା ଏୟାର ଇଣ୍ଡିଆଙ୍କ ଏକ ନିୟମିତ ଉଡାଣ ଓ ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କୁହାଯାଉଛି।