ଅମିତାଭ ଓ ଅଭିଷେକ କରୋନା ଆକ୍ରାନ୍ତ

ମୁମ୍ବାଇ  :  ବଲିଉଡ୍ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଶନିବାର ସଂଧ୍ୟାରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ତାଙ୍କର ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ୍ କରି ମୋର କରୋନା ପଜିଟିଭ୍‌ ବାହାରିଛି ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କ ପରିବାର
ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିଗ୍ ବି ଟ୍ୱିଟରରେ ଆହୁରି ଉଲ୍ଲେଖ କରିଛନ୍ତି ଗତ ୧୦ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନେବାକୁ ମୁଁ ଅନୁରୋଧ କରୁଛି । ବିଗ୍ ବି’ଙ୍କୁ ସୁର୍‌ଜିତ୍ ସିର୍‌କାର କମେଡି ଡ୍ରାମା ‘ଗୁଲାବୋ ସିତାବୋ’ ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ସହ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ପ୍ରଥମେ ଥିଏଟରରେ ମୁକ୍ତିଲାଭ କରିବାକୁ ଥିଲେ ହେଁ
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆମାଜନ୍‌ ପ୍ରାଇମ୍ ଭିଡିଓରେ ଏହାର ପ୍ରିମିୟର କରାଯାଇଥିଲା । ଇତିମଧ୍ୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସ୍ୱାବ୍‌ ରିପୋର୍ଟ ପଜିଟିଭ୍ ଆସିଛି । ଅଭିଷେକଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ରିତେଶ୍ ଦେଶମୁଖ ।

ଆଶ୍ବସ୍ତିର ବିଷୟ ହେଲା, ଅଭିଷେକଙ୍କ ମା’ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ନେଗେଟିଭ୍ ଆସିଛି ବୋଲି ସୂଚନା ମିଳିଛି। ସେ କରୋନା ଆକ୍ରାନ୍ତ ହୋଇନାହାନ୍ତି। ମୁମ୍ବାଇ ମହାନଗର ନିଗମର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେହିପରି ଅଭିଷେକଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଐଶ୍ବର‌୍ୟ୍ୟା ରାୟ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇନାହାନ୍ତି।