ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ର ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ଦିନିକିଆ ହାମିଲଟନର ସେଡନ ପାର୍କରେ ଖେଳାଯାଇଛି। ଟେଲରଙ୍କ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ମ୍ୟାଚ୍ରେ ଆର୍ଯ୍ୟନ ଦତ୍ତଙ୍କ ଚମତ୍କାର କ୍ୟାଚ୍ ଧରି ଟେଲର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି।
ନ୍ୟୁଜିଲାଣ୍ଡ ୧୧୫ ରନରେ ଏହି ମୁକାବିଲା ଜିତି ନେଦରଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାର୍ଟିନ ଗପଟିଲ୍ ଏବଂ ଓ୍ଵିଲ ୟଙ୍କଙ୍କ ଶତକ ସାହାଯ୍ୟରେ ୩୩୩ ରନର ବିଶାଳ ସ୍କୋର କରିଥିଲା। ଟସ୍ ଟେଲର ଏହି ମ୍ୟାଚ୍ରେ ମାତ୍ର ୧୪ ରନ କରିପାରିଥଲେ। ଜବାବରେ ନେଦରଲାଣ୍ଡ ୪୨.୩ ଓଭରରେ ୨୧୮ ରନରେ ଅଲଆଉଟ୍ ହୋଇଥିଲା।
ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ରେ ଟେଲର ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇବା ମାତ୍ରେ ନେଦରଲାଣ୍ଡର ଖେଳାଳି ଗାର୍ଡ ଅଫ ଅନର ପ୍ରଦାନ କରିଛନ୍ତି। ତେବେ ଏହି ମ୍ୟାଚ୍ରେ ଟେଲର କିଛି ଖାସ୍ କମାଲ କରି ପାରିନଥିଲେ। ସେ ୧୪ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟେଲର ଜାତୀୟ ସଙ୍ଗୀତରେ ବହୁତ ଭାବୁକ ହୋଇ ପଡିଥିଲେ। ଜାତୀୟ ସଙ୍ଗୀତ ଗାନ ସମୟରେ ସେ ନିଜର ଲୁହ ରୋକି ପାରିନଥିଲେ।
ଟେଲର ଅନ୍ତର୍ଜାତୀୟ କ୍ରିକେଟ୍ର ପ୍ରତିଟି ଫର୍ମାଟରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ୧୧୨ ଟେଷ୍ଟ, ୨୩୫ ଦିନିକିଆ ଏବଂ ୧୦୨ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ଵ କରିଥିବା ଏହି ମହାନ ବ୍ୟାଟସମ୍ୟାନ ମୋଟ୍ ୧୮,୧୮୫ ରନ କରିଛନ୍ତି। ଟେଲର ନ୍ୟୁଜିଲାଣ୍ଡ ତରଫରୁ ଟେଷ୍ଟରେ ୭୬୮୩ ରନ ଏବଂ ଦିନିକିଆରେ ୮୫୯୩ ରନ କରି ନ୍ୟୁଜିଲାଣ୍ଡ ତରଫରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଜାନୁଆରୀ ୧୧ରେ ଟେଲର ନିଜର ଶେଷ ଟେଷ୍ଟ ଖେଳିଥିଲେ।